Only for Entertainment

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ଫିଲ୍ମ !

74

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଉପରେ ଫିଲ୍ମ ପ୍ରସ୍ତୁତ ହେବ । ଏନ୍‌.ପି ଉଲ୍ଲେଖଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଦ ଅନ୍‌ଟୋଲ୍ଡ ବାଜପେୟୀ’ର ଆଧାରରେ ନିର୍ମାଣ ହେବ ଏହି ଫିଲ୍ମ। ଏହି ପୁସ୍ତକରେ ବାଜପେୟୀଙ୍କର ପିଲାଦିନ ଓ କଲେଜ ଜୀବନ ସଂପର୍କରେ ଅନେକ କଥା ରହିଛି। ତା’ ସହିତ ରାଜନେତା ହିସାବରେ ତାଙ୍କ ଜୀବନ ସହିତ ଜଡ଼ିତ ଅନେକ ଘଟଣା ସଂପର୍କରେ ବହିରେ ଲେଖା ହୋଇଛି। ଏହି ପୁସ୍ତକରେ ଥିବା ତଥ୍ୟ ଆଧାରରେ ଫିଲ୍ମ କରିବା ପାଇଁ ଅମାଶ୍ ଫିଲ୍ମର ମାଲିକ ଶିବା ଶର୍ମା ଓ ଜୀଶାନ୍ ଅହମଦଙ୍କୁ ଆନୁଷ୍ଠାନିକ ଅଧିକାର ମିଳି ସାରିଛି।

ଏନେଇ ଫିଲ୍ମ ନିର୍ମାତା ଶିବା ଶର୍ମା କହିଛନ୍ତି ‘ଦ ଅନ୍‌ଟୋଲ୍ଡ ବାଜପେୟୀ’ ମୋର ସବୁଠାରୁ ଅଧିକ ମହତ୍ତ୍ୱକାଂକ୍ଷୀ ଯୋଜନା ମଧ୍ୟରୁ ଗୋଟିଏ। ଆଉ ଏହାକୁ ନେଇ ମୁଁ ବହୁତ ଗର୍ବିତ। ବାଜପେୟୀଙ୍କ ଭଳି ଜଣେ ହିରୋଙ୍କ କାହାଣୀକୁ ସେ ପରଦାରେ ଦେଖାଇବାକୁ ଯାଉଥିବାରୁ ଖୁସି ଅନୁଭବ କରୁଥିବା ଜାହିର କରିଛନ୍ତି । ସେ ଆହୁରି କହିଛନ୍ତି, ମୋର ବିଶ୍ୱାସ ଯେ ଦେଶର ସବୁ ଲୋକ ବାଜପେୟୀଙ୍କ ଜୀବନରେ ଘଟିଥିବା ସବୁ କଥା ବିଷୟରେ ଜାଣି ନାହାନ୍ତି। ଏ ବହିଟିକୁ ପଢ଼ିବା ପରେ ତାଙ୍କ ବ୍ୟକ୍ତିତ୍ୱର ଅନେକ ଦିଗ ଉପରେ ମୁଁ ଜାଣିବାକୁ ପାଇଲି। ସେହିଭଳି ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଦେଶରେ ହୋଇଥିବା ଅନେକ କାର‌୍ୟ୍ୟ ସମ୍ପର୍କରେ ମଧ୍ୟ ଜାଣିବାକୁ ପାଇଲି।

ସେହିପରି ଜୀଶାନ ଅହମ୍ମଦ କହିଛନ୍ତି, ଏହି ଫିଲ୍ମ ପାଇଁ ସ୍କ୍ରିପ୍ଟ୍ ଲେଖା କାମ ଆରମ୍ଭ ହୋଇସାରିଛି। ସ୍କ୍ରିପ୍ଟ୍‌ ଲେଖା ହୋଇଯିବା ପରେ ଆମେ ଫିଲ୍ମର ନିର୍ଦ୍ଦେଶକ ଓ କଳାକାରଙ୍କ ନାଁ ଘୋଷଣା କରିବୁ। ବର୍ତ୍ତମାନ ଫିଲ୍ମର ନାଁ ‘ଦ ଅନ୍‌ଟୋଲ୍ଡ ବାଜପେୟୀ’ ରହିଛି। ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ଧରି ଅସୁସ୍ଥ ରହିବା ପରେ ଗତବର୍ଷ ଅଗଷ୍ଟ ୧୬ ତାରିଖରେ ବାଜପେୟୀଙ୍କର ପରଲୋକ ହୋଇଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More