Only for Entertainment

ଶ୍ରେଷ୍ଠ ଧାରାବାହିକ ପୁରସ୍କାର ପାଇଲା ‘ରହିଛି ରହିବି ତୋରି ପାଇଁ’

kanaklifestyle
111

ନିଚ୍ଛକ ଓଡ଼ିଆତ୍ବକୁ ନେଇ ନିର୍ମିତ ଧାରାବାହିକ ‘ରହିଛି ରହିବି ତୋରି ପାଇଁ’କୁ ମିଳିଛି ଶ୍ରେଷ୍ଠ ଟେଲି ଧାରାବାହିକ ପୁରସ୍କାର। ବିଶିଷ୍ଟ ଅଭିନେତା ତଥା ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା ଏହି ସମ୍ମାନ ଗ୍ରହଣ କରିଛନ୍ତି। ଓଡ଼ିଆ ଭାଷା, ସା‌ହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଂଗୀତ ନାଟକ ଏକାଡେମି ସହଯୋଗରେ ଆୟୋଜିତ ୭ମ ରାଜ୍ୟ ଓଡ଼ିଆ ଟେଲି ପୁରସ୍କାର ପ୍ରଦାନ ଉତ୍ସବରେ ‘ରହିଛି ରହିବି ତୋରି ପାଇଁ’କୁ ୫ଟି ବର୍ଗରେ ପୁରସ୍କୃତ କରାଯାଇଛି। ଉତ୍କଳ ମଣ୍ଡପରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାକାର ଓ ଟେକ୍ନିସିଆନମାନଙ୍କୁ ସମ୍ମାନ ପ୍ରଦାନ କରିଛନ୍ତି।

 

ଜୀବନ‌ରେ ‘ଭତ୍ତା’ର ଗୁରୁତ୍ବ ଓ ଆବଶ୍ୟକତାକୁ କେନ୍ଦ୍ର କରି ନିର୍ମିତ ଚଳଚ୍ଚିତ୍ର ‘ପେନ୍‌ସନ୍‌’କୁ ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ଭାବେ ପୁରସ୍କୃତ କରାଯାଇଛି। ମାଥ୍ୟୁ ଜେନିଫ୍‌ ଯୋଶେଫ୍‌ ପ୍ରଯୋଜକ ଭାବେ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଟେଲି ଚଳଚ୍ଚିତ୍ର ‘ପାଇକ ବିଦ୍ରୋହ’ରେ ନିର୍ଦେଶନା ପାଇଁ ଅନୁଜ ତ୍ୟାଗୀ ଓ ନିଶ୍ଚୟ ରାଉତଙ୍କୁ ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ନିର୍ଦେଶକ ଭାବେ ସମ୍ମାନିତ କରାଯାଇଛି। ‘ରହିଛି ରହିବି ତୋରି ପାଇଁ’ରେ ନିର୍ଦେଶନା ପାଇଁ ହରିଶ ମହାନ୍ତି ଶ୍ରେଷ୍ଠ ଧାରାବାହିକ ନିର୍ଦେଶକ ପୁରସ୍କାର ଲାଭ କରିଛନ୍ତି। ସେହିଭଳି ‘ପେନ୍‌ସନ’ରେ ବଳିଷ୍ଠ ଅଭିନୟ ପାଇଁ ଜୟନ୍ତ ସାନ୍ତ୍ରାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯାଇଥିବା ବ‌େଳେ ‘ରହିଛି ରହିବି ତୋରି ପାଇଁ’ରେ ସୋଫିଆ ସିକନ୍ଦର ଏବଂ ‘କମ୍‌ଲି’ରେ ସୋନାଲି ନାୟକଙ୍କ ହୃଦୟସ୍ପର୍ଶୀ ଅଭିନୟ ପାଇଁ ଯୁଗ୍ମ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ପ୍ରଦ୍ୟୁମ୍ନ ଲେଙ୍କା ସମ୍ମାନ ଗ୍ରହଣ କରିବା ଅବସରରେ କହିଛନ୍ତି, ଧାରାବାହିକ ଜରିଆରେ ଆମେ ଘରେ ଘରେ ପରିଚିତ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ସ୍ବରୂପ ସ୍ବୀକୃତି ଆମକୁ ଆଗକୁ ଆହୁରି କିଛି ଭଲ କରିବା ପାଇଁ ପ୍ରୋତ୍ସାହନ ଦେଉଛି। ଆମ ପର୍ଯ୍ୟଟନ ଓ ଠାକୁରାଣୀଙ୍କ କଥାକୁ ନେଇ ଆଗକୁ ଧାରାବାହିକ ନିର୍ମାଣ କରି ଦର୍ଶକଙ୍କ ମନୋରଂଜନ କରିବୁ ବୋଲି ସେ କହିଛନ୍ତି।

ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ବକ୍ତବ୍ୟ ରଖି ଜାତୀୟ ସ୍ତରରେ ଆଦୃତ ହେଲା ଭଳି କଥାବସ୍ତୁକୁ ନେଇ ଧାରାବାହିକ ଓ ଟେଲି ଫିଲ୍ମ ନିର୍ମାଣ କରିବାକୁ କହିଥିଲେ। ଧାରାବାହିକ ଜୁରି କମିଟି ଅଧ୍ୟକ୍ଷ ନାଟ୍ୟକାର ଡାକ୍ତର ଶୈଳେଶ୍ବର ନନ୍ଦ କହିଲେ, ଏବେ ଅନେକ ଧାରାବାହିକରେ ଭ୍ରମାତ୍ମକ ଶବ୍ଦ ବ୍ୟବହାର ହେଉଛି। ଯଦି ଏବେଠୁ ଆମେ ଧାରାବାହିକରେ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଗୁରୁତ୍ବ ‌ନଦେବା ତେବେ ପରପିଢ଼ି ଆମକୁ ନିନ୍ଦା କରିବେ ବୋଲି ସେ କହିଥିଲେ। ସେହିପରି ବିଚାର ପର୍ଯ୍ୟାୟକୁ ମାତ୍ର ୭ଟି ଟେଲି ଚଳଚ୍ଚିତ୍ର ଆସୁଥିବାରୁ ଏହି ସଂଖ୍ୟା ବଢ଼ିବା ଆବଶ୍ୟକ ବୋଲି ସେ କହିଥିଲେ। ଜୁରି କମିଟିର ଅଧ୍ୟକ୍ଷ ଡାକ୍ତର ଶୈଳେଶ୍ବର ନନ୍ଦଙ୍କ ସମେତ ଜୁରି ସଦସ୍ୟ ଗୀତା ଦାଶ, ମନ୍ମଥ ଶତପଥୀ, ଅଶୋକ ପାଲିତ୍‌, ସ୍ନେହପ୍ରଭା ସାମନ୍ତରାୟ, ସୁବାସ ଦାଶ, ଭାସ୍କର ଚନ୍ଦ୍ର ମହାପାତ୍ରଙ୍କୁ ମଧ୍ୟ ମଂଚରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବିଭାଗୀୟ ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ସ୍ବତନ୍ତ୍ର ଶାସନ ସଚିବ ରାମକୃଷ୍ଣ ସାହୁ, ଯୁଗ୍ମ ନିର୍ଦେଶିକା ସଂଘମିତ୍ରା ଶତପଥୀ ଓ ଓଡ଼ିଶା ସଂଗୀତ ନାଟକ ଏକାଡେମି ସଚିବ ଡ.ବିଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ସମ୍ମାନ ପ୍ରଦାନ କରିଥିଲେ। ଡ.ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ଓଡ଼ିଶା ଟେଲି ଆକ୍ଟର୍ସ ଆସୋସିଏସନ୍‌ ପକ୍ଷରୁ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରାଯାଇଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More