ଶୀତଦିନେ ପିକନିକ ଯିବା ଲାଗି ମନ କରିଛନ୍ତି କି? ତେବେ ବୁଲି ଆସନ୍ତୁ ଏହି ସବୁ ସ୍ଥାନ
ବୁଲିଯିବାପାଇଁ ଯଦି କୁଆଡେ ବହାରିଛନ୍ତି ତାହାଲେ ଅଯଥା ଖର୍ଚ୍ଚାନ୍ତ ହୋଇ ରାଜ୍ୟବାହାରକୁ ଯିବା କ’ଣ ନିହାତି ଆବଶ୍ୟକ?
ଆମ ଓଡ଼ିଶାରେ ଏତେ ସୁନ୍ଦର ଆଉ ଆକର୍ଷଣୀୟ ସ୍ଥାନ ସବୁ ଦେଖିଲେ ଯେ କେହି ବି ଆନନ୍ଦିତ ହେବେ, ଆଉ ଉପଭୋଗ ମଧ୍ୟ କରିବେ। ଉତ୍ତର ବାଲେଶ୍ୱର ଜିଲ୍ଲାରେ ରହିଛି ୨୦ଟିରୁ ଅଧିକ ସୁନ୍ଦର ବେଳାଭୂମି। ଏହିଗୁଡିକ ମଧ୍ୟରେ ତାଳସାରୀ ଅନ୍ୟତମ। ବାଲେଶ୍ୱର ସହରଠାରୁ ୯୩ କିଲୋମିଟର ଓ ଜଳେଶ୍ୱରଠାରୁ ୪୩ କିଲୋମିଟର ଦୂରରେ ଥିବା ତାଳସାରୀ ବେଳାଭୂମିର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ। ସମୁଦ୍ରକୂଳଠାରୁ ମୁଖ୍ୟବେଳାଭୂମିର ଦୂରତା ପ୍ରାୟ ୫୦୦ ଶହ ମିଟର। ଯଦି ଜୁଆର ଆସିଥାଏ ତେବେ କୂଳରେ ରହିବାକୁ ପଡେ ନଚେତ ଭଟ୍ଟାପଡିଥିଲେ କୂଳରୁ ଚାଲି ଚାଲି ମୁଖ୍ୟବେଳାଭୂମି ଯାଏଁ ଯିବାକୁ ପଡିଥାଏ।
ତାଳସାରି ବେଳାଭୂମିର ପ୍ରକୃତ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ହେଲେ ପର୍ୟ୍ୟଟକମାନଙ୍କୁ ସୂର୍ଯ୍ୟୋଦୟ ସମୟ ହିଁ ଯିବାକୁ ପଡିବ। ଏହିଠାରେ ସମୁଦ୍ରରେ ଉଦିତ ଢେଉରେ ସୂର୍ଯ୍ୟଙ୍କର ଲାଲ କିରଣ ପଡି ସୁନେଲୀରଙ୍ଗ ଧାରଣ କରିଥାଏ। ଆଉ ଦଳ ଦଳ ଲାଲ୍ କଙ୍କଡାମାନଙ୍କର ଦଉଡ ଧାପଡ ଦୃଶ୍ୟ ଯେକୌଣସି ବ୍ୟକ୍ତିଙ୍କୁ ମତୁଆଲା କରିଦେଇଥାଏ।
ଏହି ବେଳାଭୁମିରେ ରହିଛି ପ୍ରକୃତ ଶାନ୍ତି ଓ ନିର୍ଜନର ବାତାବରଣ। ଏଠି ନା ଅଛି ହକର ଓ ବୁଲାବିକାଳୀଙ୍କ ଅଯଥା ଭିଡ । ନାଅଛି ସହରର ପ୍ରଦୂଷଣ ଓ କୋଳାହଳ। ଏହି ସବୁ ଝାମେଲାରୁ ବହୁ ଦୂରରେ ଏହି ବେଳାଭୂମି। ବ୍ୟସ୍ତ ବହୁଳ ଜୀବନରୁ ନିଜକୁ ମୁକ୍ତ କରି ବେଳାଭୂମିରେ ସମୟ ବିତାଉଥିଲେ ମନରେ ଭରିଯାଏ ଏକ ଅପୂର୍ବ ଅନୁଭବ।
ତାଳସାରୀର ଅଳ୍ପଦୂରରେ ମାତ୍ର ୯ କିଲୋମିଟର ଦୂରରେ ଅଛି ଶଡିବିଲ-ବିଚିତ୍ରପୁର ଇକୋ ଟୁରିଜିମ ପ୍ରକଳ୍ପ।ଏହାହେଉଛି ସୁବର୍ଣ୍ଣରେଖା ନଦୀ ଓ ବଙ୍ଗୋପ ସାଗର ମୁହାଣ ନିକଟରେ ଥିବା ଏକ ସୁନ୍ଦର ଆଉ ଘଂଚ ହେନ୍ତାଳ ବଣ।ଏଠାକୁ ଆସିଲେ ମନେ ହେବ ଆପଣ ଯେମିତି ଭତରକନିକାରେ ଥିବା ପରି।କୂଳରୁ ମୁହାଣ ପର୍ୟ୍ୟନ୍ତ ରହିଛି ଏକ ପ୍ରାକୃତିକ କେନାଲ ଏବଂ ଏଥିରୁ ବାହାରିଛି ଅନେକଗୁଡିଏ ଶାଖା କେନାଲ।ଏହି କେନାଲ କୂଳରେ ରହିଛି ହେନ୍ତାଳ ବଣ ।