‘କସମୋପଲିଟାନ’ ପତ୍ରିକାର କଭରପେଜରେ ଆଥଲେଟ ଦୂତୀ ।
ଚର୍ଚ୍ଚାରେ ରହୁଥିବା ଦୌଡ଼ରାଣୀ ଦୂତୀ ଚାନ୍ଦ ଗତ କିଛି ମାସ ହେବ ତାଙ୍କର ବ୍ୟକ୍ତିଗତ ସଂପର୍କକୁ ନେଇ ମଧ୍ୟ ଚର୍ଚ୍ଚା ପାଲଟିଛନ୍ତି। ଦୂତୀ ଗତ ମେ ମାସରେ ତାଙ୍କର ଜଣେ ବାନ୍ଧବୀଙ୍କ ସହ ସମ୍ବେଦନଶୀଳ ସଂପର୍କ ଥିବା ନେଇ ଖୋଲାଖୋଲି ଭାବେ ପ୍ରକାଶ କରିବା ପରେ ଜାତୀୟ ପତ୍ରିକା ‘କସ୍ମୋପଲିଟାନ୍’ ଦୂତୀଙ୍କୁ ପତ୍ରିକାର ଜୁଲାଇ,୨୦୧୯ ସଂଖ୍ୟା ପ୍ରଚ୍ଛଦରେ ସ୍ଥାନ ଦେଇଛି। ପତ୍ରିକାର ପ୍ରଚ୍ଛଦରେ ଏହି ସାହସିନୀଙ୍କ ଫଟୋ ଦିଆଯାଇ ତାଙ୍କ ସଂପର୍କରେ ‘ଇଣ୍ଡିଆଜ୍ ସାଇନିଂ ଷ୍ଟାର୍ ଆଣ୍ଡ୍ ଫାଷ୍ଟ୍ ଓପନ୍ଲି ଗେ ଆଥ୍ଲେଟ୍’ ବୋଲି ଉଲ୍ଲେଖ କରାଯାଇଛି।୨୦୧୮ ମସିହା ଏସିଆନ୍ ଗେମ୍ରେ ଦୁଇଟି ରୌପ୍ୟ ପଦକ ଜିଣିଥିବା ଦୂତୀ ନିଜର ସମଲୀଙ୍ଗୀ ସଂପର୍କକୁ ନେଇ ଖୁଲାସା କରିବାରେ ବିଶ୍ୱର ବଛା ବଛା କେତେ ଜଣ ଖେଳାଳିଙ୍କ ଭିତରୁ ଅନ୍ୟତମ।
ଏ ସଂପର୍କରେ ଦୂତୀ ଏକ ସାକ୍ଷାତ୍କାରରେ କହିଛନ୍ତି, ‘ଯାହା ମୁଁ କରୁଛି କିଛି ଭୁଲ୍ ନୁହେଁ। ଏହା ଏକ ଅପରାଧ ବି ନୁହେଁ।’ ଜାଣିରଖନ୍ତୁ ଯେ, ଦୂତୀଙ୍କ ସଂପର୍କରେ ତାଙ୍କ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ ବାଧକ ହେଉଥିବା ହେତୁ ସେ ଗଣମାଧ୍ୟମର ସାହାରା ନେଇ ନିଜ ବ୍ୟକ୍ତିଗତ ବ୍ୟାପାରକୁ ସମସ୍ତଙ୍କ ଆଗରେ ଖୁଲାସା କରିଥିଲେ।