ବଲିଉଡ ଫିଲ୍ମ ସୁଇଧାଗା ରେ ଦେଖିବାକୁ ମିଳିବ ପିପିଲି ଚାନ୍ଦୁଆର ଝଲକ ।
ଜାତୀୟ ହସ୍ତତନ୍ତ ଦିବସ ଅବସରରେ ୨୦୧୮ର ଏକ ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ସୁଇ ଧାଗା’ର ଟ୍ରେଲର ଏବଂ ଲୋଗୋ ରିଲିଜ୍ ହୋଇଯାଇଛି। ସବୁଠାରୁ ବଡ଼କଥା ହେଲା ମେକ୍ ଇନ୍ ଇଣ୍ଡିଆ କ୍ୟାମ୍ପେନ୍ ଉପରେ ଆଧାରିତ ଏହି ଫିଲ୍ମରେ ଦେଖିବାକୁ ମିଳିଛି ଓଡ଼ିଶାର ପିପିଲି ପ୍ରସିଦ୍ଧ ଚାନ୍ଦୁଆ କାମର ଝଲକ। ଅନୁଷ୍କା ଶର୍ମା ଏବଂ ବରୁଣ ଧାଓ୍ବନଙ୍କ ଅଭିନୀତ ଏହି ଫିଲ୍ମର ଲୋଗୋ-ରିଭିଲ୍ ଭିଡିଓରେ ଦେଶର ବୁଣାକାର ତଥା ହସ୍ତତନ୍ତ ଶିଳ୍ପୀମାନଙ୍କ ଉଦ୍ଦେଶ୍ୟରେ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଫିଲ୍ମର ଲୋଗୋକୁ ଦେଶର ବିଭିନ୍ନ ପ୍ରାନ୍ତରେ ରହିଥିବା ପ୍ରାୟ ୧୫ ପ୍ରକାରର ନିଡିଲ୍ଓ୍ବାର୍କ ମାଧ୍ୟମରେ ଦର୍ଶାଯାଇଛି।
ଏଥିରେ କଶ୍ମୀରର କଶିଦା ଓ ସୋଜ୍ନୀ, ଗୁଜରାଟର ମୋଚି ଭାରତ ଓ ରବାରୀ, ଉତ୍ତର ପ୍ରଦେଶର ଫୁଲ୍ପଟ୍ଟି, ରାଜସ୍ଥାନର ଆରି, ବନ୍ଜାରା ଓ ଗୋଟା ପଟ୍ଟି, ଆସାମର ହସ୍ତତନ୍ତ କାମ, ତାମିଲନାଡୁର ତୋଡା, ପଶ୍ଚିମବଙ୍ଗର କଣ୍ଠ ଏବଂ ପଞ୍ଜାବର ଫୁଲ୍କରୀ କାମ ରହିଛି। ଏହାସହ ଓଡ଼ିଶାର ପ୍ରସିଦ୍ଧ ପିପିଲି ଚାନ୍ଦୁଆ କାମକୁ ମଧ୍ୟ ଏହାର ଲୋଗୋ ମାଧ୍ୟମରେ ଦର୍ଶାଯାଇଛି। ଚାନ୍ଦୁଆ ସହ ଜଡ଼ିତ ଇତିହାସ ଓ ଏହାର କାହାଣୀକୁ ସ୍ଥାନୀୟ ଶିଳ୍ପୀମାନେ ବର୍ଣ୍ଣନା କରୁଥିବା ମଧ୍ୟ ଏଥିରେ ଦେଖିବାକୁ ମିଳିଛି। ତେବେ ଚାନ୍ଦୁଆ ପରିବର୍ତ୍ତେ ଭୁଲ୍ରେ ଏଥିରେ ପିପିଲି ଲେଖାଯାଇଥିବାରୁ ଏହାକୁ ନେଇ ସାମାନ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।