ଧର୍ମକୁ ପ୍ରାଧାନ୍ୟ ଦେଉଥିବା ଲୋକଙ୍କୁ ଏହିଠାରେ ମିଳିବ ନାହିଁ ଖାଇବା, ଜୋମାଟୋ ଘଟଣା ପରେ ହୋଟେଲ ମାଲିକଙ୍କ ନିଷ୍ପତ୍ତି
କିଛି ଦିନ ତଳେ ଅମିତ ଶୁକ୍ଲା ନାମକ ଜଣେ ଯୁବକ ଜୋମାଟୋରୁ ଖାଇବା ଅର୍ଡର କରିଥିଲେ । ଜଣେ ଅଣହିନ୍ଦୁ ଡେଲିଭରୀ ବଏ ଡେଲିଭର କରିବାକୁ ଆସିବାରୁ ଅମିତ ଅର୍ଡର ବାତିଲ କରି ଦେଇଥିଲେ । ଏହା ସହ ଟୁଇଟ୍ କରି ଡେଲିଭରୀ ବଏ ଅଣହିନ୍ଦୁ ବୋଲି ସେ ଅର୍ଡର ଗ୍ରହଣ କରି ନଥିବା ଲେଖିଥିଲେ । ଏହା ପରେ ଜୋମାଟୋ ଅମିତଙ୍କ ଟୁଇଟ୍ର ଜବାବ ରଖି, ଖାଦ୍ୟର କୌଣସି ଧର୍ମ ନଥାଏ । ଖାଦ୍ୟ ହିଁ ଗୋଟେ ଧର୍ମ ବୋଲି ଲେଖିଥିଲା । କିଛି ଜୋମାଟୋକୁ ସମର୍ଥନ କରିଥିବା ବେଳେ କିଛି ବିରୋଧ ମଧ୍ୟ କରିଥିଲେ । ଏମିତିକି ଫୋନରୁ ଆପ୍ ହଟାଇଦେବା ସହ ୫ଷ୍ଟାରରୁ ୧ଷ୍ଟାର ଦେବା ଆରମ୍ଭ କରି ଦେଇଥିଲେ ।
ତେବେ ତାମିଲନାଡୁର ଏକ ରେସ୍ତୋରାଁ ଜୋମାଟୋ କରିଥିବା ଟୁଇଟ୍କୁ ସମର୍ଥନ କରିଥିବା ଦେଖାଯାଇଛି । ଏହା ସହ ନିଜ ରେସ୍ତୋରାଁ ବାହାରେ ଯିଏ ଧର୍ମକୁ ପ୍ରାଧାନ୍ୟ ଦେବ, ତାକୁ ଖାଇବାକୁ ଦିଆଯିବ ନାହିଁ ବୋଲି ଲେଖି ସାଇନ୍ ବୋର୍ଡ ଲଗାଇଥିବା ଦେଖାଯାଇଛି । ତେବେ ରେସ୍ତୋରାଁ ବାହାରେ ଏଭଳି ସାଇନ୍ ବୋର୍ଡ ଦେଖି ଲୋକେ ରେସ୍ତୋରାଁ ମାଲିକକୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।
ଏକ ନିଉଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ରେସ୍ତୋରାଁର ମାଲିକ ଅରୁଣ କହିଛନ୍ତି, ଯଦି ଆମେ ସବୁ ଜିନିଷରେ ଧର୍ମକୁ ଦେଖିବା ତେବେ ଗାଡ଼ିରେ ପେଟ୍ରୋଲ ପକାଇ ପାରିବା ନାହିଁ, କୌଣସି ପୋଷାକ ପିନ୍ଧି ପାରିବା ନାହିଁ । ଧର୍ମ ଓ ଜାତିକୁ ଦେଖିଲେ ଆମେ ଆମର ଦୈଦଦିନ କାମ କରି ପାରିବା ନାହିଁ । ତେବେ ଅରୁଣଙ୍କ ଏଭଳି ପଦକ୍ଷେପ ପରେ ଲୋକେ ଅନ୍ୟ ରେସ୍ତୋରାଁକୁ ତାଙ୍କ ପଥ ଅନୁସରଣ କରିବାକୁ ଉପଦେଶ ଦେବା ଆରମ୍ଭ କରିଛନ୍ତି ।