ଜଳ ସଙ୍କଟକୁ ଦୃଷ୍ଟିରେ ରଖି ରାଜସ୍ଥାନଙ୍କ ସରକାର ନୂତନ ଆଇନ, ଦୈନିକ ବ୍ୟବହାର କରିପାରିବେ ୭୦ ଲିଟର ଜଳ
ଜଳ ସଙ୍କଟକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ବର୍ତ୍ତମାନ ଜଳକୁ ନେଇ ଏକ ନୂତନ ଆଇନ ପ୍ରଣୟନ କରିବାକୁଯାଉଛନ୍ତି । ଏହି ଆଇନ ଅନୂଯାୟୀ, ପ୍ରତ୍ୟେକ ବ୍ୟକ୍ତି ଦୈନିକ କେବଳ ୭୦ ଲିଟର ଜଳ ବ୍ୟବହାର କରିପାରିବେ । ଭବିଷ୍ୟତରେ ଜଳକଷ୍ଟକୁ ଦୂର କରିବା ଲାଗି ରାଜସ୍ଥାନ ସରକାର ଏହି ଭଳି ନିଷ୍ପତ୍ତି ନେଇଛନ୍ତି ।
ଏହି ଆଇନ କେବଳ ଏତିକିରେ ସୀମିତ ହୋଇନାହିଁ । ଯଦି କେହି ଏହି ଆଇନର ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କୁ ଦେଢ ବର୍ଷର ଜେଲ ଦଣ୍ଡାଦେଶ ହେବା ସହ ୧ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ । ରାଜସ୍ଥାନ ଜଳବିଲ୍ର ଡ୍ରାଫ୍ଟ ପ୍ରସ୍ତୁତ କରିସାରିଥିବା ବେଳେ ଏହା ବିଚାରାଧୀନ ଥିବା ଜଳ ସମ୍ପଦ ବିଭାଗ(ଡବ୍ଲ୍ୟୁଆର୍ଡି)ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ଉକ୍ତ ଡ୍ରାଫ୍ଟ୍ ବିଲ୍ ଅନୁଯାୟୀ, ଏକ ସୁସ୍ଥ ଜୀବନ ଅତିବାହିତ କରିବା ପାଇଁ ବିଶୁଦ୍ଧ ଏବଂ ପର୍ଯ୍ୟାପ୍ତ ପାଣି ଉପଲବ୍ଧ କରିବା ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କର ମୌଳିକ ଅଧିକାର । ପ୍ରତ୍ୟେକ ବ୍ୟକ୍ତି ଯେପରି ବିଶୁଦ୍ଧ ଏବଂ ସ୍ୱଚ୍ଛ ଜଳ ପାଇପାରିବେ ସେଥିପ୍ରତି ସରକାର ଦୃଷ୍ଟି ଦେବେ । ଆଇନ୍ ଏହା ଉପରେ ଗୁରୁତ୍ୱ ଦେବ ମଧ୍ୟ । ହିନ୍ଦୁସ୍ଥାନ ଟାଇମ୍ସ ଖବର ଅନୁଯାୟୀ, ପ୍ରତ୍ୟେକ ବ୍ଲକ୍ ଏବଂ ନଗରପାଳିକା ଗୁଡ଼ିକରେ ଏକ ଅଭିଯୋଗ କେନ୍ଦ୍ରର ସ୍ଥାପନା ମଧ୍ୟ କରାଯିବାର ବ୍ୟବସ୍ଥା ରହିବ । ଯଦି ଏହି ଆଇନ ପ୍ରଣୟନ ହୁଏ, ତେବେ ରାଜସ୍ଥାନ ଏଭଳି ଆଇନ ତିଆରି କରିବାରେ ଭାରତରେ ସର୍ବ ପ୍ରଥମ ରାଜ୍ୟ ଭାବେ ଗଣିତ ହେବ ।