ହିନ୍ଦୁଧର୍ମରେ କନ୍ୟାଦାନର ମହତ୍ୱ
ହିନ୍ଦୁଧର୍ମରେ ବିବାହରେ ବିଭିନ୍ନ ରୀତିନୀତିର ପାଳନ କରାଯାଇଥାଏ। ଏପରି କି ବିଭିନ୍ନ ରାଜ୍ୟରେ ବିଭିନ୍ନ ରୀତିନୀତିରେ ବିବାହ ଅନୁଷ୍ଠିତ ହୋଇଥାଏ । ବିଭିନ୍ନ ରୀତିନୀତି ମଧ୍ୟରେ କନ୍ୟାଦାନ ଏକ ମୁଖ୍ୟ ରୀତି ଅଟେ। ହିନ୍ଦୁଧର୍ମରେ ପ୍ରତ୍ୟେକ ପିତାଙ୍କୁ କନ୍ୟାଦାନ କରିବାକୁ ପଡ଼ିଥାଏ। କନ୍ୟାକୁ ଲକ୍ଷ୍ମୀ ବୋଲି କୁହାଯାଇଥାଏ। କନ୍ୟାଦାନରେ ମାତାପିତା ନିଜର ଲକ୍ଷ୍ମୀ ସ୍ୱରୂପ କନ୍ୟାକୁ ବର ହସ୍ତରେ ସମର୍ପଣ କରି ଦେଇଥାଆନ୍ତି।
ସବୁଠାରୁ ବଡ ଦାନ ହେଉଛି ‘କନ୍ୟାଦାନ’ । ମାତା-ପିତା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଯେଉଁମାନଙ୍କୁ ଜୀବନରେ କନ୍ୟାଦାନ କରିବାର ମଉକା ମିଳିଥାଏ । ଏହାସହିତ କନ୍ୟାଦାନ କରିଥିବା ଦମ୍ପତିଙ୍କୁ ସ୍ୱର୍ଗ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି ।
ଏହି କନ୍ୟାଦାନକୁ ନେଇ ଏକ ମାନ୍ୟତା ରହିଛି ଯେ, ଏହା ଦ୍ୱାରା ମାତାପିତାଙ୍କ ଘରେ ସୌଭାଗ୍ୟର ଆଗମନ ହୋଇଥାଏ। ପରିବାରର ଦୁଃଖ ଦୂର ହୋଇଥାଏ। ପରିବାରର ସଦସ୍ୟମାନଙ୍କୁ ମଧ୍ୟ ଏହି କାରଣରୁ ବିଭିନ୍ନ ସଫଳତା ପ୍ରାପ୍ତି ହୋଇଥାଏ। ମାତ୍ର ଏହି କନ୍ୟାଦାନ ବିବାହ ସମୟରେ ସ୍ଥିରୀକୃତ ହୋଇଥିବା ଶୁଭ ସମୟରେ ହିଁ କରିବାକୁ ପଡ଼ିଥାଏ।
ଉତ୍ତର ଭାରତରେ କନ୍ୟାଦାନ କରିବା ସମୟରେ ବଧୂର ହାତକୁ ଏକ କଳସ ଉପରେ ରଖାଯାଏ,ଏହା ପରେ ବଧୂର ହାତ ଉପରେ ବର ନିଜର ହାତ ରଖିଥାଏ। ଦୁଇ ଜଣଙ୍କ ହାତ ଉପରେ ଫୁଲ, ଗଙ୍ଗାଜଳ ଆଦି ଅର୍ପଣ କରାଯାଇ ମନ୍ତ୍ରର ଉଚ୍ଚାରଣ କରାଯାଇଥାଏ।