ଇତିହାସରେ ରକ୍ଷା ବନ୍ଧନ ପରମ୍ପରା
ଶ୍ରାବଣ ମାସର ପୂର୍ଣ୍ଣିମାକୁ ରାକ୍ଷୀ ପୂର୍ଣ୍ଣିମା କୁହାଯାଏ । କାରଣ ରାକ୍ଷୀ ବନ୍ଧନ ପର୍ବ ସର୍ବତ୍ର ଶ୍ରଦ୍ଧା, ସ୍ନେହ ଓ ପ୍ରେମର ସହ ପାଳିତ ହୁଏ । ଏହି ସ୍ମରଣୀୟ ପର୍ବ କେଉଁ ଦିନଠାରୁ ପାଳିତ ହୋଇଆସୁଛି ସଠିକ ଭାବରେ ପୁରାଣ ଶାସ୍ତ୍ରରେ ଉଲ୍ଲେଖିତ ହୋଇ ନଥିଲେ ହେଁ ଏହା ବହୁ ପ୍ରାଚୀନ ।
“ଅସଲରେ ରକ୍ଷା ବନ୍ଧନ ପରମ୍ପରା ସେଇମାନେ ଆରମ୍ଭ କରିଥିଲେ ଯେଉଁମାନେ ପ୍ରକୃତରେ ଭାଇ ଭଉଣୀ ନଥିଲେ । ରକ୍ତ ସମ୍ପର୍କ ନଥାଇ ବି ସାମାନ୍ୟ ଏକ ଡୋରି ସେମାନଙ୍କୁ ଭାଇ ଭଉଣୀର ଅତୁଟ ସମ୍ପର୍କରେ ବାନ୍ଧି ପାରିଥିଲା ।”
ଏଇ ଗହ୍ମାପୂର୍ଣ୍ଣିମା ଦିନ ଭାଇ ହାତରେ ଭଉଣୀ ପବିତ୍ର ରାଖୀ ବାନ୍ଧି ଭାଇର ଶୁଭମନାସି ଦୀର୍ଘଦିନ ଓ ସର୍ବ ସଫଳତା କାମନା କରିଥାଏ । ପ୍ରତିବଦଳରେ ଭାଇ ମଧ୍ୟ ଭଉଣୀକୁ ପ୍ରତ୍ୟେକ କ୍ଷେତ୍ରରେ ସହାୟତା ପ୍ରଦାନ ସହ ସର୍ବଦୁଃଖରୁ ରକ୍ଷା କରିବା ନିମିତ୍ତ ବଚନବଦ୍ଧ ରହେ । ଘରର ସମସ୍ତଙ୍କ ମଙ୍ଗଳ ଓ ସୁଖଶାନ୍ତି ପାଇଁ ମଧ୍ୟ ଏହି ପବିତ୍ର ଡୋରିକୁ ଘର ସମ୍ମୁଖ ଦ୍ୱାରରେ ବାନ୍ଧି ଦିଆଯାଏ । ଏହି ପବିତ୍ର ରାଖୀବନ୍ଧନ ପର୍ବ ସହିତ ଆଉ ଏକ ଐତିହାସିକ ଘଟଣା ଯୋଡ଼ି ହୋଇ ରହିଛି ।
ରକ୍ଷା ବନ୍ଧନର ପରମ୍ପରା ପ୍ରାୟ ୬୦୦୦ ବର୍ଷ ପୁରୁଣା ଅନୁମାନ କରାଯାଏ । କିନ୍ତୁ କୌଣସି ସ୍ଥାନରେ ଏହାର ସମୟ ଲିପିବଦ୍ଧ ହୋଇ ରଖାଯାଇନାହିଁ । ଲିପିବଦ୍ଧ କରି ରଖିବା ସମୟ ଆସିଲା ବେଳକୁ ହୁମାୟୁନ ଓ କର୍ଣ୍ଣାବତୀଙ୍କ ରକ୍ଷା ବନ୍ଧନ କଥା ପ୍ରଥମେ ଆସେ । ଭାରତରେ ମୋଗଲ ଶାସନ ଅମଳରେ ଅନେକ ମୁସଲମାନ ବ୍ୟକ୍ତି ହିନ୍ଦୁ ରମଣୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ ।
ତେଣୁ ଆମ ଦେଶର ସମ୍ଭାନ୍ତ ବଂଶୀୟ ମହିଳାମାନେ ସେମାନଙ୍କ ସୁରକ୍ଷା ନିମିତ୍ତ ବଳବାନ ରାଜା ଓ ବାଦଶାହାଙ୍କ ସହିତ ରାକ୍ଷୀ ବନ୍ଧନ ସୂତ୍ରରେ ଭାତୃତ୍ୱ ସମ୍ବନ୍ଧ ସ୍ଥାପନ କରୁଥିଲେ । ସେହିଭଳି ମେବାରର ରାଣା ସଂଗ୍ରାମ ସିଂହଙ୍କ ମୃତ୍ୟୁ ପରେ ଦିଲ୍ଲୀର ମୋଗଲ ବାଦଶାହା ଚିତୋର ଦୁର୍ଗ ଆକ୍ରମଣ କରିବା ପାଇଁ ଇଚ୍ଛା ପ୍ରକାଶ କଲେ। ମାତ୍ର ଚିତୋର ଗଡ଼ର ସାହସିକା ଓ ବୀରା ରାଣୀ କର୍ଣ୍ଣବତୀ ଏହା ଜାଣି ସେ ସମୟରେ ମୋଗଲ ବାଦଶାହ ହୁମାୟନଙ୍କ ପାଖକୁ ପବିତ୍ର ରାକ୍ଷୀ ପଠାଇ ଚିତୋର ଦୁର୍ଗକୁ ରକ୍ଷା କରିଥିଲେ । ହୁମାୟନ୍ ଜଣେ ମୁସଲମାନ ଶାସକ ହେଲେ ହେଁ ହିନ୍ଦୁପରମ୍ପରା ଓ ବିଶ୍ୱାସକୁ ସମ୍ମାନ ଦେଇ ରାକ୍ଷୀ ବନ୍ଧନର ମହତ୍ତ୍ୱ ଅବସରରେ ଚିତୋର ଦୁର୍ଗ ଆକ୍ରମଣରୁ ବିରତ ରହିଲେ।