ରାଞ୍ଚି ରଥର ଇତିହାସ : ମନ୍ଦିର ସୁରକ୍ଷାରେ ନିୟୋଜିତ ହୋଉଥିଲେ ମୁସଲମାନ ।
ରଥଯାତ୍ରା କେବଳ ଓଡିଶାରେ ନୁହେଁ ପୁରା ଦେଶରେ ପାଳନ କରାଯାଏ । ରଥଯାତ୍ରା ଦିନ ପ୍ରଭୁ ଜଗନ୍ନାଥ, ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ମାଉସୀ ମା’ ଗୁଣ୍ଡିଚା ମନ୍ଦିରକୁ ଆଠଦିନ ପାଇଁ ଶ୍ରୀମନ୍ଦିର ଛାଡି ବିଜେ କରନ୍ତି। ଗୁଣ୍ଡଚା ମନ୍ଦିରରେ ଆଠଦିନ ରହଣି ପରେ ବାହୁଡା ଯାତ୍ରାରେ ପୁଣି ଲେଉଟନ୍ତି ଶ୍ରୀମନ୍ଦିରକୁ। ଏହି ପରମ୍ପରା ବହୁ ବର୍ଷରୁ ରହି ଆସିଛି। ପବିତ୍ର ରଥ ଯାତ୍ରା ଇତିହାସ ବର୍ଣ୍ଣିତ ହୋଇଛି। ତେବେ ଏହି ଘୋଷଯାତ୍ରା ଅବସରରେ ଆସନ୍ତୁ ଜାଣିବା ରାଞ୍ଚି ରଥଯାତ୍ରାର ଇତିହାସ ବିଷୟରେ ।
ଛୋଟନାଗପୁରରେ ଯେତେବେଳେ ନାଗବଂଶୀ ରାଜାମାନଙ୍କର ଶାସନ ଚାଲୁଥିଲା । ସେମାନେ ବିଭିନ୍ନ ସ୍ଥାନରେ ବିଗ୍ରହ ସ୍ଥାପନ କରି ପୂଜାର୍ଚ୍ଚନାର ବ୍ୟବସ୍ଥା କରିଥିଲେ । ନିଜ ଗୁରୁ ହରିନାଥଜୀଙ୍କ ଆଶୀର୍ବାଦରୁ ନାଗବଂଶୀ ରାଜା ରଘୁନାଥ ଶାହ ୧୬୩୯ ମସିହାରେ ଏଠାରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା କରିଥିଲେ ।
ଏହି ମନ୍ଦିରକୁ ବିସ୍ତୃତ ରୂପ ଦେବାର ଶ୍ରେୟ ନାଗବଂଶୀ ରାଜା ଠାକୁର ଆନିନାଥ ଶାହଦେବଙ୍କୁ ଦିଆଯାଇଥିଲା । ଝାଡଖଣ୍ଡରେ ଜଗନ୍ନାଥପୁର ମେଳାର ଇତିହାସ ପ୍ରାୟ ୩୨୭ ବର୍ଷ ପୁରୁଣା । ୧୬୯୧ରେ ନା ଗବଂଶୀ ରାଜା ଠାକୁର ଆନିନାଥ ଏହି ମେଳାର ଆୟୋଜନ ଆରମ୍ଭ କରିଥିଲେ । ସେତେବେଳେ ଝାଡଖଣ୍ଡରେ ପ୍ରତ୍ୟେକ ଜାତିର ଲୋକ ସାମ୍ପ୍ରଦାୟିକ ସଦଭାବ ମଧ୍ୟରେ ବସବାସ କରୁଥିଲେ ।
ଏହି ଭାତୃଭାବର ପ୍ରଭାବ ଜଗନ୍ନାଥପୁର ରଥ ମେଳାରେ ବାରି ହୋଉଥିଲା । ଘାଂସି ଜାତି ଶ୍ରୀଜୀଉଙ୍କ ଲାଗି ଫୁଲ ଯୋଗାଉଥିବା ବେଳେ ମନ୍ଦିର ସୁରକ୍ଷାରେ ମୁସଲମାନ ଶ୍ରଦ୍ଧାଳୁ ନିୟୋଜିତ ହେଉଥିଲେ । ମୁଣ୍ଡା ଜାତି ମହାପ୍ରଭୁଙ୍କୁ ପଗଡି ଯୋଗାଉଥିଲେ । କୁମ୍ଭାର ମାଟିପାତ୍ର, ଓରାଁଓମାନେ ଘଣ୍ଟି ଓ ପହାନମାନେ କରଞ୍ଜ ତେଲ ପ୍ରଦାନ କରୁଥିଲେ । ବଢେଇ ଏବଂ କମାର ରଥ ନିର୍ମାଣ ଦାୟିତ୍ୱ ନେଉଥିଲେ ।
ଏବେ ଏହି ପରମ୍ପରାରେ ପ୍ରାୟ ପୂର୍ଣ୍ଣଚ୍ଛେଦ ପଡିଯାଇଛି । ମନ୍ଦିରର କାର୍ଯ୍ୟ ତଦାରଖ ପାଇଁ ଏବେ ଟ୍ରଷ୍ଟ ପ୍ରତିଷ୍ଠା କରାଯିବା ସହିତ ଏହା ମାଧ୍ୟମରେ ରଥଯାତ୍ରା ତଦାରଖ କରାଯାଉଛି ।