ସୋସିଆଲ ମିଡିଆରେ ଫଟୋ ସେୟାର କରି ଅଡୁଆରେ ମହିଳା ଡାକ୍ତର
ମିଆଁମାରର ମେଡିକାଲ କାଉନସିଲ୍ ଜଣେ ଡାକ୍ତରଙ୍କ ଲାଇସେନସକୁ ରଦ୍ଦ କରିଛି । ଏହି ଡାକ୍ତର ଜଣଙ୍କ ମହିଳା ହେବା ସହ ଜଣେ ମଡେଲ । ମେଡିକାଲ କାଉନସିଲର କହିବା ଅନୁସାରେ ମହିଳା ଡାକ୍ତର ଜଣଙ୍କ ଅନୁଚିତ ଢଙ୍ଗରେ କପଡ଼ା ପିନ୍ଧି ନିଜ ଫେସବୁକ୍ ପେଜରେ ଫଟୋ ପୋଷ୍ଟ କରିଥିଲେ । ୨୮ ବର୍ଷିୟା ଏହି ମହିଳା ଡାକ୍ତର ଜଣଙ୍କ ନିୟମିତ ଆପତ୍ତିଜନକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବାରୁ ଆମେ ତାଙ୍କ ଲାଇସେନସ୍ ରଦ୍ଦ ପାଇଁ ବାଧ୍ୟ ହୋଇଛୁ ।
ମିଆଁମାରର ଏହି ମହିଳାଙ୍କ ନାମ ହେଉଛି ନାଙ୍ଗ ସାନ । ଗତ ୪ ବର୍ଷ ତଳୁ ସେ ଡାକ୍ତରୀ ପେସାକୁ ଆପଣାଇଥିଲେ ମଧ୍ୟ ଅଧିକ ଫୋକସ୍ କରୁଥିଲେ ମଡେଲିଂକୁ । ନିୟମ ଅନୁସାରେ ମିଆଁମାରରେ ଆପତ୍ତିଜନକ ଏହି ଡ୍ରେସ୍ ଷ୍ଟାଇଲକୁ ସଂସ୍କୃତି ବିରୋଧୀ ବୋଲି ଧରାଯାଇଥାଏ । ଅନ୍ୟପଟେ ନାଙ୍ଗ ମେଡିକାଲ କାଉନସିଲର ଏହି ନିଷ୍ପତିକୁ ବିରୋଧ କରିବା ସହ ବ୍ୟକ୍ତିଗତ ସ୍ୱାଧିନତାରେ ଏହା ଅଜଥା ହସ୍ତକ୍ଷେପ ବୋଲି କହିଛନ୍ତି ।
ସୂଚନା ଅନୁସାରେ ସୋସିଆଲ ମିଡିଆରେ ଏହିଭଳି ଫଟୋ ପୋଷ୍ଟ ପରେ ମେଡିକାଲ କାଉନସିଲ ପକ୍ଷରୁ ନାଙ୍ଗଙ୍କୁ ଚେତାବନି ଦିଆଯାଇଥିଲା । ତାଙ୍କୁ ପୁରୁଣା ଫଟୋ ସବୁକୁ ହଟାଇବା ପାଇଁ ମଧ୍ୟ କୁହାଯାଇଥିଲା । ମାତ୍ର ସେ ଏହାକୁ ଦୃଷ୍ଟି ଦେଇନଥିଲେ । ନାଙ୍ଗଙ୍କ କହିବା ଅନୁସାରେ ମୁଁ ରୋଗୀଙ୍କୁ ଚିକିତ୍ସା ସମୟରେ ମେଡିକାଲ ପୋଷାକ ପିନ୍ଧିଥାଏ । ହେଲେ ବ୍ୟକ୍ତିଗତ ଜୀବନରେ ମୁଁ କେଉଁ ପୋଷାକ ପିନ୍ଧିଲି ତା’ଉପରେ କାହାର ହସ୍ତକ୍ଷେପ ଆଦୌ ଗ୍ରହଣୀୟ ନୁହେଁ । ଏ ସମ୍ପର୍କରେ ମୁଁ ନ୍ୟାୟାଳୟର ଦ୍ୱାରସ୍ଥ ହେବି ।