ଖରା ଛୁଟି ବିତାଇବାକୁ ଚାହୁଁଥିଲେ ବୁଲନ୍ତୁ ଭାରତରେ ଥିବା ଏହି ସବୁ ହ୍ରଦ !
ଯଦି ଆପଣ ଖରା ଦିନେ କେଉଁ ସ୍ଥାନକୁ ବୁଲିବା ପାଇଁ ଯିବାକୁ ଚାହୁଁଛନ୍ତି ତେବେ ଏହି ସବୁ ସ୍ଥାନକୁ ଯାଆନ୍ତୁ ଆପଣଙ୍କୁ ମିଳିବ ଶାନ୍ତି ଏବଂ ଆପଣ ବୁଲିବାର ମଜା ଖୁବ ଉଠାଇ ପାରିବେ । ଆମ ଦେଶରେ ଅନେକ ଗୁଡ଼ିଏ ସୁନ୍ଦର ହ୍ରଦ ରହିଛି, ଯେଉଁଥିରେ ହିମାଚଳ ପ୍ରଦେଶସ୍ଥିତ ଅର୍ଦ୍ଧ ଚନ୍ଦ୍ର ଆକାରର ଚନ୍ଦ୍ରତାଲ ହ୍ରଦରୁ ଆରମ୍ଭ କରି ମଣିପୁରର ଏକମାତ୍ର ଭାସମାନ ଟାପୁ ଥିବା ହ୍ରଦ ମଧ୍ୟ ସାମିଲ୍ ରହିଛି। ଏଠାରେ ଆପଣଙ୍କୁ ଦେଶର ଏପରି କେତେକ ହ୍ରଦ ସମ୍ପର୍କରେ ସୂଚନା ଦିଆଯାଇଛି, ଯେଉଁଠିକୁ ଆପଣ ଥରେ ହେଲେ ବୁଲି ଯିବା ଉଚିତ।
Chandratal Lake
ଚନ୍ଦ୍ର ତାଲ, ହିମାଚଳ ପ୍ରଦେଶ
୪୩୦୦ ମିଟର ଉଚ୍ଚରେ ଅବସ୍ଥିତ ଏହି ହ୍ରଦ ହିମାଚଳ ପ୍ରଦେଶର ସ୍ପିତି ଜିଲାରେ ରହିଛି। ଅର୍ଦ୍ଧ ଚନ୍ଦ୍ର ଆକାରର ହୋଇଥିବାରୁ ଏହି ହ୍ରଦର ନାମ ଚନ୍ଦ୍ରତାଲ ହ୍ରଦ ରଖାଯାଇଛି। ଏଠାକୁ ବୁଲିଯିବାର ଉପଯୁକ୍ତ ସମୟ ହେଉଛି ମେ’ରୁ ସେପ୍ଟେମ୍ବର ୧୫। କ୍ୟାମ୍ପିଂ ପାଇଁ ଏହି ସ୍ଥାନକୁ ଉପଯୁକ୍ତ। ଏହି ହ୍ରଦର ବିଶେଷତ୍ବ ହେଉଛି ହ୍ରଦକୁ କେଉଁଠୁ ପାଣି ଆସୁଛି, ତାହା ନଜର ଆସ ନ ଥାଏ। କୁହାଯାଉଛି ଏହି ହ୍ରଦରେ ଭୂମି ଭିତରୁ ପାଣି ଆସୁଛି।
ପଙ୍ଗୋଙ୍ଗ ହ୍ରଦ, ଲେହ
ଆମୀର ଖାନ ଓ କରୀନା କପୁର ଖାନଙ୍କ ବ୍ଲକ୍ବଷ୍ଟର ସିନେମା ‘୩ ଇଡିଏଟ୍ସ୍’ର କ୍ଲାଇମାକ୍ସ ଲେହସ୍ଥିତ ଏହି ପାଙ୍ଗଙ୍ଗ ହ୍ରଦ କୂଳରେ ଶୁଟିଂ ହୋଇଥିଲା। ଏହା ଏକ ସୁନ୍ଦର, ସଂକୀର୍ଣ୍ଣ ଓ ଆକର୍ଷକ ହ୍ରଦ। ଲେହରୁ ଏଠାକୁ ପହଞ୍ଚିବା ଲାଗି ୫ ଘଣ୍ଟା ସମୟ ଲାଗିଥାଏ। ଏଠାରେ ରହିବା ପାଇଁ ହ୍ରଦ ନିକଟରେ ତମ୍ବୁ ଓ ରୁମ୍ ବ୍ୟବସ୍ଥା ରହିଛି। ଆପଣ ଏଥିମଧ୍ୟରୁ ଯେଉଁଠି ଚାହିବେ ରହିପାରିବେ।
ସୋ ମୋରିରୀ, ଲଦାଖ
ଲେହର ଦକ୍ଷିଣ ପୂର୍ବରେ ୨୫୦ କିମି ଦୂରରେ ବହୁତ ଉଚ୍ଚରେ ଅବସ୍ଥିତ ସୋ ମୋରିରୀ ହ୍ରଦ ବିଭିନ୍ନ ପ୍ରଜାତିର ପକ୍ଷୀ ତଥା ପଶୁଙ୍କ ବାସସ୍ଥାନ ଅଟେ। ଏହି ହ୍ରଦ ବୁଲି ଯିବା ସମୟରେ ଆପଣ କେତେକ ସୁନ୍ଦର ଜୀବ ତଥା ପକ୍ଷୀଙ୍କୁ ଦେଖିବାକୁ ପାଇବେ। ଏହି ହ୍ରଦରେ ପହଞ୍ଚିବା ପୂର୍ବରୁ ଗନ୍ଧକ ଯୁକ୍ତ ଗରମ ପାଣିଯୁକ୍ତ ଚୁମଥାଙ୍ଗ ସ୍ପ୍ରିଙ୍ଗସ୍ ମଧ୍ୟ ପଡ଼ିଥାଏ। ଏହି ହ୍ରଦ ବୁଲିବା ପାଇଁ ପରିମିଟ୍ ନେବାକୁ ପଡ଼ିଥାଏ।
ଗୁରୁଡୋଙ୍ଗମାର ହ୍ରଦ, ସିକ୍କିମ
ବିଶ୍ବର ସବୁଠାରୁ ଉଚ୍ଚତମ ହ୍ରଦ ମଧ୍ୟରେ ସିକ୍କିମ୍ର ଏହି ଗୁରୁଡୋଙ୍ଗମାର ହ୍ରଦ ଅନ୍ୟତମ। ଏହି ହ୍ରଦ ନଭେମ୍ବରରୁ ମେ’ ମାସ ଯାଏ ଏହି ହ୍ରଦ ସମ୍ପୂର୍ଣ୍ଣ ଭାବେ ବରଫରେ ଜମି ରହିଥାଏ। ଏକ କିମ୍ବଦନ୍ତୀ ଅନୁସାରେ ସ୍ଥାନୀୟ ଲୋକଙ୍କ ଅନୁରୋଧ ରକ୍ଷା କରି ଗୁରୁନାନକ ଦେବ ହ୍ରଦର ଗୋଟିଏ ସ୍ଥାନରେ ଡାଙ୍ଗ(ରଡ୍) ମାରି ବରଫ ଭାଙ୍ଗିଥିଲେ ଓ କହିଥିଲେ ଏଠାରେ କେବେ ବି ବରଫ ଜମିବ ନାହିଁ। ତେଣୁ ଏହି ହ୍ରଦର ଗୋଟିଏ ସ୍ଥାନରେ କେବେ ବି ବରଫ ଜମେ ନାହିଁ ବୋଲି ଲୋକ ବିଶ୍ବାସ ରହିଛି।
ଲୋକଟକ୍ ହ୍ରଦ, ମଣିପୁର
ମଣିପୁରର ବିଶନପୁର ଜିଲାରେ ଏହି ସ୍ବତନ୍ତ୍ର ହ୍ରଦ ଅଭସ୍ଥିତ। ଏହା ବିଶ୍ବର ଏକମାତ୍ର ହ୍ରଦ ଅଟେ, ଯେଉଁଟି ଭାସମାନ ଟାପୁ ଦେଖିବାକୁ ମିଳିଥାଏ। ୨୮୬ ବର୍ଗ ମାଇଲ୍ରେ ପରିବ୍ୟାପ୍ତ ଏହି ହ୍ରଦ ବାସ୍ତବରେ ଦେଖିବାକୁ ବହୁତ ସୁନ୍ଦର। ବିଲୁପ୍ତ ପ୍ରାପ୍ତ ବ୍ରୋ ଆଣ୍ଟଲରେଡ ହରିଣ ଏହି ଟାପୁରେ ଦେଖିବାକୁ ମିଳିଥାଏ। ଏହି ହ୍ରଦ ୬୪ ପ୍ରକାରର ମାଛଙ୍କ ବାସସ୍ଥାନ ଅଟେ। ଏଠାରୁ ବାର୍ଷିକ ୧୫୦୦ ଟନ୍ ମାଛ ଧରାଯାଏ।